Saturday, November 3, 2012

A LOVE


ଅନୁପମାର ପ୍ରସ୍ତାବ ଚକିତ କରିଥିଲା ସୁବ୍ରତକୁ୤
ସୁବ୍ରତ ଓ ଅନୁପମା ଗୋଟିଏ ଆପାର୍ଟମେଣ୍ଟରେ ଅଲଗା ଅଲଗା ଫ୍ଲାଟରେ ରହୁଥିଲେ୤ ଦୁହେଁ ଗୋଟିଏ କମ୍ପାନୀପାଇଁ କାମ କରୁଥିଲେ୤ ତାଙ୍କର ଅଫିସ୍‌ ସେମାନେ ରହୁଥିବା ଆପାର୍ଟମେଣ୍ଟଠାରୁ ତିରିଶ କିଲୋମିଟର ଦୂର୤ ପ୍ରତିଦିନ କମ୍ପାନୀର କାର୍‌ ଆସି ସେ ଦୁଇଜଣ ଓ ବାଟରେ ରହୁଥିବା ଅନ୍ୟଜଣେ କର୍ମଚାରୀଙ୍କୁ ସକାଳେ ନେଇଯାଉଥିଲା ଏବଂ ସଞ୍ଜବେଳେ ଛାଡ଼ିଦେଉଥିଲା୤
ସେଦିନ ଅନୁପମାକୁ ସର୍ଦ୍ଦି ହୋଇଥିଲା ଏବଂ ଦେହରେ ସାମାନ୍ୟ ଜ୍ବର ମଧ୍ୟ ଥିଲା୤ ସେ ହୋମିଓପାଥିକ୍‌ ଔଷଧ ଖାଉଥିଲା୤ ଅଫିସ୍‌ରେ ପର୍ସରୁ ହୋମିଓପାଥିକ୍‌ ଔଷଧ ଖାଇବାକୁ ଶିଶି ବାହାର କଲାବେଳକୁ ନିଜ ଫ୍ଲାଟ୍‌ର ଚାବି ମଧ୍ୟ ବାହାର କରିଦେଇଥିଲା୤ ଔଷଧ ଖାଇସାରି ଶିଶି ପର୍ସରେ ରଖିଦେଇଥିଲା; କିନ୍ତୁ ଭୁଲ୍‌ବଶତଃ ଚାବି ପର୍ସରେ ରଖି ନ ଥିଲା୤ ଅନ୍ୟମନସ୍କତାରେ ଚାବି ଟେବୁଲ ଡ୍ରୟାର୍‌ରେ ରଖିଦେଇଥିଲା ଏବଂ ନିଜ ଫ୍ଲାଟକୁ ଫେରିଲାବେଳକୁ ଚାବି ଆଣିପାରି ନ ଥିଲା୤
ନିଜ ଫ୍ଲାଟ୍‌ରେ ସୁବ୍ରତ ନିଜ ପ୍ୟାଣ୍ଟସାର୍ଟ ବଦଳେଇବାକୁ ଯାଉଥିଲା୤ ଅନୁପମା ଆସି କହିଲା, ମୁଁ ମୋର ଫ୍ଲାଟ୍‌ ଚାବି ଅଫିସରେ ଛାଡ଼ିଦେଇ ଆସିଛି୤ ସୁବ୍ରତ ପଚାରିଲା, ଏବେ କ’ଣ କରିବ ?
ଅଫିସରୁ ଫେରିଲା ପରେ ଦୁହେଁ କ୍ଲାନ୍ତ ଅନୁଭବ କରୁଥିଲେ୤ ଅନୁପମାର ଯେହେତୁ ଦେହ ସାମାନ୍ୟ ଅସୁସ୍ଥ ଥିଲା, ଅସୁସ୍ଥତା ସହିତ ଦିନକର କାମରେ ସେ ବେଶି କ୍ଲାନ୍ତ ଅନୁଭବ କରୁଥିଲା୤ ଅବଶ୍ୟ ସଞ୍ଜବେଳକୁ ଦେହରେ ଜ୍ବର ନ ଥିଲା୤ ଅଫିସ୍‌ ଗାଡ଼ି ସେମାନଙ୍କୁ ଛାଡ଼ି ଚାଲିଯାଇଥିଲା୤ ଏବେ ତାଙ୍କ ଅଫିସ୍‌କୁ ଯାଇ ଚାବି ଆଣିବାକୁ ହେଲେ ଟାକ୍ସିରେ କିମ୍ବା ଅଟୋରେ ଯିବାକୁ ହେବ୤ ସୁବ୍ରତ ଭାବୁଥିଲା, ଅନୁପମା ବୋଧହୁଏ ସେଥିପାଇଁ ଆସିଛି, ସାଙ୍ଗହୋଇ ଦୁହେଁ ଅଫିସ ଯିବେ୤ ସୁବ୍ରତର ଯିବାକୁ ଧୈର୍ଯ୍ୟ ନ ଥିଲା୤
ଅନୁପମା କ’ଣ କରିବ ସ୍ଥିର କରିସାରିଥିଲା୤ କହିଲା, ମୁଁ ଆଜି ରାତିକ ତୁମ ଫ୍ଲାଟ୍‌ରେ ରହିଗଲେ ତୁମର କ’ଣ ଅସୁବିଧା ହେବ ?
ସୁବ୍ରତ ଏମିତି ଏକ ପ୍ରସ୍ତାବ ଆଶା କରୁ ନଥିଲା୤
ସୁବ୍ରତ ଏକା ଏକା ରହୁଥିଲା୤ ଅନୁପମା ଅବିବାହିତା୤ ଅନୁପମା କମ୍ପାନୀରେ ଯୋଗଦେବାର ଛଅମାସ ପରେ ସୁବ୍ରତ ଏହି କମ୍ପାନୀରେ ଯୋଗ ଦେଇଥିଲା୤ କମ୍ପାନୀ କାର୍‌ରେ ଯିବାଆସିବା ସମୟରେ ଏବଂ କେତେବେଳ କେମିତି ପଦେଅଧେ କଥାବାର୍ତ୍ତା୤ ଯଦିଓ କମ୍ପାନୀର ଗୋଟିଏ ଅଫିସରେ ଦୁହେଁ କାମ କରୁଥିଲେ, କିନ୍ତୁ ଦୁହେଁ ଅଲଗା ଅଲଗା କୋଠରିରେ ବସୁଥିଲେ୤ ସୁବ୍ରତର ଅଫିସ ରୁମ୍‌ ପ୍ରଥମ ମହଲାରେ ଥିଲା ଏବଂ ଅନୁପମାର ତୃତୀୟ ମହଲାରେ୤ ଅଫିସ ସମୟରେ ମଧ୍ୟ ଦୁହିଁଙ୍କ ଭିତରେ ବେଶି ଗପସପ କରିବାର ସୁଯୋଗ ନ ଥିଲା୤ ଦୁହେଁ ଦୁହିଁଙ୍କ ବିଷୟରେ ବେଶି କିଛି ଜାଣି ନ ଥିଲେ୤
ଅନୁପମା ଦୋହରେଇଲା, ଅସୁବିଧା କ’ଣ ହେବ ? ଆପଣଙ୍କର ଦୁଇଟି ଶୟନକକ୍ଷ ବିଶିଷ୍ଟ ଫ୍ଲାଟ୍‌, ଆପଣ ଏକା ରହୁଛନ୍ତି, ଗୋଟିଏ ବେଡ୍‌ରୁମ୍‌ରେ ଆପଣ, ଅନ୍ୟଟିରେ ମୁଁ ରହିଯିବି୤
ସୁବ୍ରତ ମନେ ମନେ ଅନୁପମାକୁ ତଉଲୁଥିଲା୤ ଏହି ବର୍ଷ ଭିତରେ ଦୁହେଁ ସାଙ୍ଗହୋଇ କାର୍‌ରେ ଯିବାଆସିବା କରୁଥିଲେ୤ ଅନୁପମା ମାର୍ଜିତ, ରୁଚିସମ୍ପନ୍ନା ମନେହେଉଥିଲା୤ ସୁବ୍ରତ କହିପକେଇଲା, ଚଳିବ୤ ଯଦି ଆପଣଙ୍କର କିଛି ଅସୁବିଧା ନ ହୁଏ୤
ମୋର କିଛି ଅସୁବିଧା ହେବନି୤ ଏବେ କିଛି ଉପାୟ ନାହିଁ, ଅସୁବିଧା ହେଲେ ବି ଚେଳଇନେବି୤ ଅନୁପମା କହିଲା୤
ସୁବ୍ରତ ରାଜି ହୋଇଗଲା, ପରେ ଚିନ୍ତିତ ହୋଇପଡ଼ିଲା୤
ସୁବ୍ରତ ଅତ୍ୟନ୍ତ ଅଳସୁଆ୤ ତା’ ନିଜ ଘର ପରିଷ୍ମାର ପରିଚ୍ଛନ୍ନ ନ ଥିଲା୤ ସେସବୁ ପ୍ରତି ତା’ର ନିଘା ନ ଥାଏ୤ ଅଳ୍ପ ଜିନିଷ କିପରି ବେଶି ଜାଗା ମାଡ଼ିବସେ, ସେ କଳା ତାକୁ ଜଣାଥିଲା୤ ତା’ର ପ୍ୟାଣ୍ଟ୍‌ସାର୍ଟ ଏଠି ସେଠି ପଡ଼ିଥିଲା, ବହିପତ୍ର ବି ସେମିତି୤ ସେ ଦୁଇଟିଯାକ ବେଡ୍‌ରୁମ୍‌ ମଧ୍ୟ ବ୍ୟବହାର କରୁଥିଲା୤ ଗୋଟିଏ ବେଡ଼୍‌ରୁମ୍‌ରେ ତା’ର ବହିପତ୍ର ଓ ପ୍ୟାଣ୍ଟ୍‌ସାର୍ଟ ଇତ୍ୟାଦି ଥିଲା୤ ଖଟ ଉପରେ ବହି, ମାଗାଜିନ୍‌ ଓ ଖବରକାଗଜ୤ ସେ ବିଛଣାରେ ଶୋଇ, ଦୁଇଟି ତକିଆକୁ ଗୋଟିଏ ଉପରେ ଅନ୍ୟଟି ରଖି, ତା’ଉପରେ ମୁଣ୍ଡ ରଖି, ଉପରକୁ ଚାହିଁ ପଢ଼େ୤ ପଢ଼ୁ ପଢ଼ୁ ନିଦ ଆସିଯାଏ୤ ତେଣୁ ଖଟ ଉପରେ ସେସବୁ ପଡ଼ି ରହିଥାଏ୤ ଅନ୍ୟ ବେଡ଼୍‌ରୁମ୍‌କୁ ସେ ନାଁ ଦେଇଥାଏ ‘ଅପରାଧ କକ୍ଷ’୤ ସେହି ବେଡ଼୍‌ରୁମ୍‌ରେ ସେ, ଯେବେ ଇଚ୍ଛାହୁଏ, ମଦ ପିଏ, ସିଗାରେଟ୍‌ ଟାଣେ, ସିଗାରେଟ୍‌ରେ ଗଞ୍ଜେଇ ମିଶାଇ ମଧ୍ୟ ଟାଣେ୤ ସିଡ଼ି ଆଣି ଫିଲ୍ମ ସେହି ରୁମ୍‌ରେ ଦେଖେ୤ ସେହି ରୁମ୍‌ରେ ତା’ର କମ୍ପ୍ୟୁଟର ଓ ଟିଭି ଥାଏ୤ ଦିନେ ଦିନେ ମଦ ଗ୍ଲାସ୍‌ ଧୁଆ ନ ହୋଇ ରହିଥାଏ୤ ଆଇସ୍‌ ଟ୍ରେ ବି ସଫା ହୋଇ ନ ଥାଏ୤ ଯେବେ ତା’ର ମଦ ପିଇବାକୁ, ଗଞ୍ଜେଇ ଟାଣିବାକୁ ଇଚ୍ଛାହୁଏ, ସେହି ରୁମ୍‌ରେ ସେ ବସିଥାଏ ଏବଂ ସେହି ରୁମ୍‌ରେ ଶୋଇପଡ଼େ୤
ତେଣୁ ଦୁଇଟିଯାକ ଶୟନକକ୍ଷ ଏକ ଉଚ୍ଚଶିକ୍ଷିତା, ରୁଚିସମ୍ପନ୍ନା, ସୁନ୍ଦରୀ ନାରୀ ରହିବା ଉପଯୋଗୀ ନୁହେଁ୤ ସେ କହିଲା, ତୁମେ କ’ଣ ରହିପାରିବ ? ମୋର ରୁମ୍‌ ପରିଷ୍କାର, ପରିଚ୍ଛନ୍ନ ନୁହେଁ, ତୁମକୁ ଭଲ ଲାଗି ନ ପାରେ୤
ଅନୁପମା କହିଲା, ମୁଁ ତ କହିଲି, ଚଳେଇନେବି୤ ଏବେ ତ ଅନ୍ୟକିଛି ବାଟ ନାହିଁ୤
ପଢ଼ାପଢ଼ି କରୁଥିବା ଓ ଶୋଉଥିବା ରୁମ୍‌ରେ ରହିବାପାଇଁ ଅନୁପମାକୁ କହି ସେ ଅନ୍ୟ କୋଠରିକୁ ଯିବାକୁ ବାହାରିଲା୤ ରୁମ୍‌ ଭିତର ଦେଖିଦେଇ ଅନୁପମା କହିଲା, ୟେ କ’ଣ ? ଗତ ରାତିରେ ଏହି ବେଡ଼୍‌ରେ କାହାକୁ ଧର୍ଷଣ କରିଥିଲ କି ?
ଚମକି ପଡ଼ିଲା ସୁବ୍ରତ୤ ତା’ର ବେଡ଼୍‌ ଅସଜଡ଼ା ହୋଇପଡ଼ିଥିଲା୤ ବେଡ଼୍‌କଭର ଜାକିଜୁକି ହୋଇ ପଡ଼ିଥିଲା, ତକିଆ ଦୁଇଟି ଏପଟ ସେପଟ ଓ ବେଡ଼୍‌ ଉପରେ ତା’ର ବହି, ଖବରକାଗଜ ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା୤ ଏମିତି ତା’ର ପ୍ରତ୍ୟେକ ଜିନିଷ ଅସଜଡ଼ା ହୋଇ ପଡ଼ିଥାଏ୤ ସୁବ୍ରତ ବେଡ଼୍‌ ସଜାଡ଼ିବାକୁ ଉଦ୍ୟତ ହେଲା୤ ଅନୁପମା କହିଲା, ତୁମେ ଯାଅ, ମୁଁ ସଜାଡ଼ି ଦେବି୤
ସୁବ୍ରତ ସଫା ବେଡ଼୍‌ସିଟ୍‌ ରଖିଥିବା ଜାଗା ଦେଖେଇଦେଲା ଏବଂ ସେ ରୁମ୍‌ରୁ ବାହାରି ଆସିଲା୤
କିଛି ସମୟ ପରେ ଧୁଆଧୋଇ ହୋଇ ଅନୁପମା ରୁମ୍‌ ଭିତରୁ ସୁବ୍ରତର ଟ୍ରାଉଜର୍‌ ଓ ଟି-ସାର୍ଟ ପିନ୍ଧି ବାହାରିଲା୤ ସୁବ୍ରତର ପୋଷାକରେ ସେ ଭିନ୍ନ ଦିଶୁଥିଲା୤ ସୁବ୍ରତକୁ ପଚାରିଲା ରାତିରେ ଖାଇବା କ’ଣ ?
ସୁବ୍ରତ ଅନ୍ୟ ବାଥ୍‌ରୁମ୍‌ରେ ଧୁଆଧୋଇ ହୋଇ, ପୋଷାକ ବଦଳେଇ ଦୁଇ କପ୍‌ ଚା’ କରିସାରିଥିଲା ଏବଂ ବୈଠକଘରେ ଅନୁପମାକୁ ଅପେକ୍ଷା କରିଥିଲା୤ ଗୋଟିଏ କପ୍‌ ଚା’ ଧରି ସୋଫାରେ ତା’ ସାମନାରେ ବସିପଡ଼ିଲା ଅନୁପମା୤
ସୁବ୍ରତ କହିଲା, ପାଖ ରେସ୍ତୋରାଁରେ ଖାଇନେବା୤
ସୁବ୍ରତ ସକାଳେ ବ୍ରେଡ଼୍‌-ଓମ୍‌ଲେଟ, ବ୍ରେଡ଼୍‌-କଦଳୀ, ମ୍ୟାଗି କିମ୍ବା ଚାଉମିନ୍‌ କରି ଖାଏ ଏବଂ ଚା’ ପିଇଥାଏ୤ ଦିନେ ଦିନେ ପାଖ ରେସ୍ତୋରାଁରେ ବ୍ରେକ୍‌ଫାଷ୍ଟ କରିଦେଇ କାର୍‌ ଆସିବାକୁ ଅପେକ୍ଷା କରେ୤ କମ୍ପାନୀର କ୍ୟାଣ୍ଟିନ୍‌ରେ ଲଞ୍ଚ କରିଦିଏ୤ ରାତିରେ ରୋଷେଇ କରେ କିମ୍ବା ମନ ହେଲେ ରେସ୍ତୋରାଁରେ ଖାଇଦିଏ୤ ଅନୁପମା କହିଲା, ମୁଁ ପୁଣି ଡ୍ରେସ୍‌ ବଦଳେଇ ବାହାରକୁ ଯାଇପାରିବି ନାହିଁ୤
ସୁବ୍ରତ କହିଲା, ତେବେ ତୁମେ ଘରେ ଥାଅ, ମୁଁ ରେସ୍ତୋରାଁରୁ ନେଇଆସୁଛି୤
ଅନୁପମା ପଚାରିଲା, ତୁମେ କ’ଣ ସବୁଦିନ ରାତିରେ ବାହାରକୁ ଖାଇବାକୁ ଯାଅ ? ସୁବ୍ରତ କହିଲା, ନା, ରୋଷେଇ କରେ୤
କ’ଣ, କ’ଣ ରୋଷେଇ ଜାଣିଛ ? ପଚାରିଲା ଅନୁପମା୤
ସୁବ୍ରତ କହିଲା, ରୁଟି, ଭାତ, ଡାଲି, ସନ୍ତୁଳା, ଡାଲମା ଓ ଅଣ୍ଡା ଓମ୍‌ଲେଟ୍୤
ଅନୁପମା ପଚାରିଲା ତୁମେ ରୁଟି ବେଲିଲେ, ରୁଟି ଭାରତ ମାନଚିତ୍ର ନା ଶ୍ରୀଲଙ୍କା ମାନଚିତ୍ର ପରି ହୁଏ ?
ସୁବ୍ରତ କହିଲା, ନା, ଜହ୍ନ ପରି କିମ୍ବା ତୁମ ମୁହଁ ପରି ହୁଏ୤
ସୁବ୍ରତ ପାଟିରୁ ଆପେ ଆପେ ଏହି ବାକ୍ୟ ବାହାରି ପଡ଼ିଲା ଏବଂ ସେ କହିସାରି ଭୁଲ୍‌ କଲା ବୋଲି ଭାବୁଥିଲା୤ ଏବେ ଅନୁପମାର ପ୍ରତିକ୍ରିୟା ଭଲ ହେବ ନାହିଁ ବୋଲି ଆଶଙ୍କା କରୁଥିଲା୤
ଅନୁପମା ଆଖି ବଡ଼ ବଡ଼ କରି ଚାହିଁଲା ଏବଂ କହିଲା, ତୁମେ ତ ବଡ଼ ରୋମାଣ୍ଟିକ୍‌, ମୁଁ ତୁମକୁ ଭାବୁଥିଲି ଶିଷ୍ଟ ନିରସ ଲୋକଟିଏ ହୋଇଥିବ୤
ଚା’ ପିଇସାରିବା ପରେ ଅନୁପମା କହିଲା, ଆମେ ରୋଷେଇ କରିବା୤ ରୁଟି ଓ ସନ୍ତୁଳା୤ ତୁମେ ଅଟା ଚକଟି ଦଳିବ, ମୁଁ ପରିବା କାଟିବି୤ ତୁମେ ରୁଟି ବେଲିଦେବ, ମୁଁ ରୁଟି ସେକିବି ଏବଂ ସନ୍ତୁଳା କରିବି୤
ସୁବ୍ରତ ରାଜିହେଲା୤
ସୁବ୍ରତର ସୂର୍ଯ୍ୟୋଦୟ ପୂର୍ବରୁ ଉଠିବା ଅଭ୍ୟାସ୤ ସେ ଶଯ୍ୟାତ୍ୟାଗ କରି ପଢ଼ାପଢ଼ି କରେ କିମ୍ବା ଯେଉଁଦିନ ପଢ଼ାପଢ଼ି କରିବାକୁ ଇଚ୍ଛା ନହୁଏ, ପ୍ରାତଃ ଭ୍ରମଣରେ ବାହରିଯାଏ୤ ସକାଳେ ସେ ଉଠିଲା ଏବଂ ତା’ର ପଢ଼ିବାକୁ ଇଚ୍ଛା ହେଲା୤ କିନ୍ତୁ ଅନୁପମା ଶୋଇଥିବା ଘରେ ବହି ଥିଲା ଏବଂ ଅନୁପମା କବାଟ ଖୋଲି ନ ଥିଲା୤ ତେଣୁ ସେ ପ୍ରାତଃଭ୍ରମଣରେ ବାହାରିଗଲା୤
ପ୍ରାତଃଭ୍ରମଣରୁ ଫେରି ଦେଖିଲା, ଅନୁପମା ତା’ ନିତ୍ୟକର୍ମ ସାରି ଦେଇଛି୤ ଗାଧୋଇସାରି ତା’ ଡ଼୍ରେସ୍‌ ବି ପିନ୍ଧିସାରିଛି ୤ ସୁବ୍ରତକୁ ଦେଖି କହିଲା, ତୁମେ ବାଥ୍‌ରୁମ୍‌ରୁ ଆସ୤ ମୁଁ ତୁମର ରୋଷେଇ ଘରେ କ’ଣ କେଉଁଠି ଅଛି, ଦେଖିସାରିଛି୤ ବ୍ରେଡ଼୍‌, ବଟର ସହିତ କଦଳୀ ବ୍ରେକ୍‌ଫାଷ୍ଟ କରିଦେବା୤ କଫି ପିଇବା୤
ସୁବ୍ରତ ଅନୁପମା ରାତିରେ ଶୋଇଥିବା ତା’ ରୁମ୍‌କୁ ପଶି ଚିତ୍କାର କଲାପରି କହିଲା, ୟେ’ କ’ଣ ?
ଅନୁପମା ଚମକି ପଡ଼ିଲା୤ ଭାବିଲା, ବୋଧହୁଏ ସେ କିଛି ମୂଲ୍ୟବାନ ଜିନିଷ ତା’ ଅଲକ୍ଷ୍ୟରେ ଭାଙ୍ଗିଦେଇଛି ୤ ପଚାରିଲା, କ’ଣ ହେଲା ?
ସୁବ୍ରତ ତା’ ରୁମ୍‌କୁ ଦେଖୁଥିଲା୤ ରାତିରେ ଶୋଇଲା ପୂର୍ବରୁ କିମ୍ବା ସକାଳୁ ଅନୁପମା ତା’ ରୁମ୍‌କୁ ସଜାଡ଼ି ଦେଇଛି୤ ବହିଥାକରେ ବହି, ୱାର୍ଡ଼ରୋବ୍‌ରେ ତା’ର ପ୍ୟାଣ୍ଟ୍‌ସାର୍ଟ, ଗୋଟିଏ କଡ଼ରେ ଖବରକାଗଜ୤ ସଜଡ଼ାସଜଡ଼ି କଲାପରେ ରୁମ୍‌ର ବହୁତ ଜାଗା ବଳିପଡ଼ୁଛି ଏବଂ ରୁମ୍‌ଟା ବଡ଼ ଦିଶୁଛି୤ ସୁବ୍ରତ କହିଲା, ସଜଡ଼ାସଜଡ଼ି କ’ଣ କରିଦେଇଛ ?
ଅସୁବିଧା କ’ଣ ହେଲା ? ମତେ ଅପରିଚ୍ଛନ୍ନ, ଅପରିଷ୍କାର ରହିବା ସ୍ଥାନ ଭଲ ଲାଗେନି୤ ମତେ ନିଦ ହୁଏନି୤ ଅନୁପମା କହିଲା୤
ଚଳିବ୤ କିନ୍ତୁ ବିଶୃଙ୍ଖଳ, ବିପର୍ଯ୍ୟସ୍ତ ହୋଇପଡ଼ିଥିଲେ, ମୁଁ ଯେଉଁଠି ଯାହା ରଖିଥିବି, ପାଇଯିବି୤ ସଜାଡ଼ିଦେଲେ ମୁଁ ଖୋଜୁଥିବା ଜିନିଷ ପାଇବି ନାହିଁ୤ ସୁବ୍ରତ କହିଲା୤
ଅନୁପମା କହିଲା, ଆଜି ଟିକେ କଷ୍ଟ କର୤ ସଞ୍ଜବେଳକୁ ଫେରିଲେ ପୁଣି ବିପର୍ଯ୍ୟସ୍ତ କରିଦେବ୤
ଅନୁପମା ଫଟ୍‌କିନା ହସିଦେଲା୤ ତା’ର ମୁହଁ ବାଦଲ ପଛପଟେ ଲୁଚିଥିବା ଜହ୍ନ ବାହାରକୁ ଆସିଗଲା ପରି ଉଜ୍ଜ୍ବଳ ଓ ସୁନ୍ଦର ଦିଶିଲା୤
ପରଦିନ ଅଫିସ୍‌ରୁ ଫେରିଲାବେଳକୁ ଅନୁପମା ଚାବି ଭୁଲି ନ ଥିଲା୤ ସେ ତା’ ଫ୍ଲାଟ୍‌କୁ ଚାଲିଗଲା, ସୁବ୍ରତ ଆସିଲା ନିଜ ଫ୍ଲାଟ୍‌କୁ୤
ତା’ ବେଡ଼୍‌ରୁମ୍‌କୁ ସଜାଡ଼ି ଦେଇଥିଲା ଅନୁପମା୤ ତାକୁ ଭଲ ଲାଗୁଥିଲା୤ ପୂର୍ବ ରାତିରେ ଅନୁପମା ପିନ୍ଧି ଶୋଇଥିବା ତା’ର ଟ୍ରାଉଜର ଓ ଟି-ସାର୍ଟକୁ ସଫାକରି ଶୁଖେଇ ଦେଇଥିଲା୤ ସୁବ୍ରତ ଫେରିଲାବେଳକୁ ଟ୍ରାଉଜର ଓ ଟି-ସାର୍ଟ ଶୁଖିଯାଇଥିଲା୤
୥ ୨୥
ଲୁଗା ଧୋଇବାକୁ ନେଇ ତନୁଜା ସହିତ ସୁବ୍ରତର ପ୍ରଥମ ଝଗଡ଼ା ହୋଇଥିଲା୤
ବିବାହ ହେବାର ପଞ୍ଚମ ଦିନ୤ ତନୁଜା ସବୁଦିନ ଗାଧୋଇସାରି ନିଜ ଲୁଗା ବାଥ୍‌ରୁମ୍‌ରେ ପକେଇଦେଇ ଆସେ୤ ସୁବ୍ରତର ମା’ ଧୁଆଧୋଇ କରି ଶୁଖେଇଦିଅନ୍ତି୤ ଚାରିଦିନ ପରେ ପଞ୍ଚମ ଦିନ ତା ମା’ ତନୁଜାଙ୍କୁ କହିଲେ, ତୁମ ନିଜ ଲୁଗା ନିଜେ ଧୁଅ, ନିଜେ ସଫା କର୤
ସେଦିନ ତନୁଜା ସୁବ୍ରତ ଆଗରେ ଅଭିଯୋଗ କଲା୤ କହିଲା, ତୁମ ମା’ ମୋତେ ଗାଳିଦେଲେ୤
ସୁବ୍ରତ ବିଶ୍ବାସ କଲା ନାହିଁ୤ ତା ମା’ କେବେ ତାକୁ ବି ଗାଳି ଦେଇ ନାହାନ୍ତି୤ ପିଲାଦିନେ ଭୁଲ୍‌ କଲେ ବୁଝେଇ ଦିଅନ୍ତି୤ ପଚାରିଲା, କାହିଁକି ଗାଳିଦେଲେ ?
ସେ କହିଲେ, ତୁମ ନିଜ ଲୁଗା ନିଜେ ଧୁଅ, ସଫାସଫି କର୤
ସୁବ୍ରତ କହିଲା, ଗାଳିଦେଲେ କୋଉଠି ? ନିଜ କାମ ନିଜେ କରିବା କଥା୤ ଆମ ଘରେ ସମସ୍ତେ ନିଜ ଲୁଗାପଟା ନିଜେ ସଫା କରନ୍ତି୤ ଏପରିକି ଏପର୍ଯ୍ୟନ୍ତ ବାପା ମଧ୍ୟ ନିଜ ଲୁଗା ନିଜେ ସଫା କରନ୍ତି୤
ତନୁଜା କହିଲା, ମୁଁ କିନ୍ତୁ ପିଲାଦିନରୁ ମୋ କାମ କରି ନାହିଁ୤ ମୋ ଲୁଗାପଟା ମୁଁ ଧୋଇବା, ସଫା କରିବା ଜାଣେ ନାହିଁ୤ ମୁଁ କରିପାରିବି ନାହିଁ୤
ତେବେ କିଏ କରିବ ? ସୁବ୍ରତ ପଚାରିଲା୤
ତନୁଜା କହିଲା, ଆମ ଘରେ ଚାକର, ଚାକରାଣୀ ଥିଲେ୤ ବାପାଙ୍କର ପିଅନ ବି ଘରକୁ ଆସି କାମ କରିଯାଏ୤
ତନୁଜା ବାପା ପ୍ରଶାସନିକ ଅଧିକାରୀ୤ ବିବାହ ସ୍ଥିର ହୋଇସାରିଥିଲା, ପରେ ଏହା ମଧ୍ୟ ସୁବ୍ରତ ଜାଣିଥିଲା, ତା’ ଭାବୀ ଶ୍ବଶୁର ଜଣେ ଘୋର ଦୁର୍ନୀତିଗ୍ରସ୍ତ ଅଧିକାରୀ୤
ସୁବ୍ରତ କହିଲା, ଆମ ଘରେ ପିଲାଦିନୁ ନିଜ କାମ ନିଜେ କରିବା ଶିଖିଛୁ୤ ଘରେ କେବେ ଚାକର ରହି ନାହିଁ୤ ତନୁଜା କାନ୍ଦିଲା୤ କାନ୍ଦି କାନ୍ଦି ତା’ମାକୁ ଫୋନ୍‌ କଲା୤ ସୁବ୍ରତର ଉପସ୍ଥିତିରେ, ତା’ ମା’କୁ ସେ କହୁଥିଲା, ଏଠି ମତେ ସୁବ୍ରତର ମା’ ଗାଳିଦେଲେ ସୁବ୍ରତ ଅପମାନ ଦଉଛି୤
ସୁବ୍ରତ ବୁଝିପାରୁ ନ ଥିଲା ତା’ ମା’ ତାକୁ କେମିତି ଗାଳିଦେଲେ୤ ସେ କେମିତି ଅପମାନ ଦେଲା୤ ତନୁଜା ସାମ୍‌ନାରୁ ସେ ଉଠିଆସିଲା୤
ଶନିବାର ଦିନ ସେମାନେ ଅଫିସ୍‌ରୁ ଫେରିଲାବେଳେ, ତୃତୀୟ କର୍ମଚାରୀ ଜଣକ ଅଫିସ୍‌ କାର୍‌ରୁ ଓହ୍ଲେଇଗଲା ପରେ, ଦୁହେଁ ଆପାର୍ଟମେଣ୍ଟକୁ ଆସୁଥିଲାବେଳେ ଅନୁପମା ସୁବ୍ରତକୁ ପଚାରିଲା, ତୁମେ ରବିବାର ଦିନ କ’ଣ କର ?
ସୁବ୍ରତ ରବିବାର ଦିନ କିମ୍ବା ଅନ୍ୟ ଛୁଟିଦିନରେ ଟିକେ ବିଳମ୍ବରେ ଶଯ୍ୟାତ୍ୟାଗ କରେ, ସେଦିନ ଲଞ୍ଚ୍‌ ପାଇଁ ସ୍ବତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରେ କିମ୍ବା ନିଜେ ବ୍ରେକ୍‌ଫାଷ୍ଟ୍‌ କରେ୤ ଖବରକାଗଜରେ ସ୍ବତନ୍ତ୍ର ସଂଖ୍ୟା ପଢ଼ୁପଢ଼ୁ ପୁଣି ଶୋଇଯାଏ ଏବଂ ରେସ୍ତୋରାଁରେ ଲଞ୍ଚ୍‌ କରିଦିଏ, ପଢ଼େ କିମ୍ବା ଘରେ ସିଡ଼ି ଆଣି ଫିଲ୍ମ ଦେଖେ କିମ୍ବା କୁଆଡ଼େ ବୁଲି ଚାଲିଯାଏ୤ ସେ କହିଲା, ସେମିତି କିଛି କରେ ନାହିଁ, ବିଶ୍ରାମ ନିଏ୤ ପଚାରିଲା, ତୁମେ କ’ଣ କର ?
ଅନୁପମା କହିଲା, ମୁଁ ବିଳମ୍ବରେ ଶଯ୍ୟାତ୍ୟାଗ କରେ୤ ବ୍ରେକ୍‌ଫାଷ୍ଟ ପରେ ଶୋଇଯାଏ୤ ଅଫିସ୍‌ କାମ ଥିଲେ କରେ୤
ଅଫିସ୍‌ କାମ କର ? ସୁବ୍ରତ ଆଶ୍ଚର୍ଯ୍ୟ ହେଲା୤
ଅସୁବିଧା କ’ଣ ? ଅନୁପମା ପଚାରିଲା୤
ଅସୁବିଧା ନାହିଁ ଯେ, କିନ୍ତୁ ଅଫିସ କାମରୁ ମୁକ୍ତ ହେବାପାଇଁ କମ୍ପାନୀ ସପ୍ତାହରେ ଗୋଟିଏ ଦିନ ଛୁଟି ଦିଏ୤ ସେଦିନ ବି ଅଫିସ କାମ ?
ମୋର ସବୁକାମ ମଠ ତ ୤ ମୋର କାମ ବାକି ରହିଯାଏ୤ ମତେ ଘରେ ରାତିରେ ଏବଂ ଛୁଟିଦିନରେ ବି ଅଫିସ କାମ କରିବାକୁ ହୁଏ୤ ପ୍ରକୃତରେ ମୁଁ ଆଶ୍ଚର୍ଯ୍ୟାନ୍ବିତ ହୁଏ, ତୁମେ କେମିତି ତୁମର ସବୁ କାମ ଅଫିସ ସମୟ ଭିତରେ ସାରିଦିଅ୤ ଅନୁପମା କହିଲା୤
ଆପାର୍ଟମେଣ୍ଟ୍‌ ପାଖରେ ଓହ୍ଲେଇଲାବେଳେ ଅନୁପମା କହିଲା, କାଲି ଛୁଟିଦିନ ସାଙ୍ଗହୋଇ କଟେଇ ହେବ୤ ମୋ ଫ୍ଲାଟ୍‌ରେ କିମ୍ବା ତୁମ ଫ୍ଲାଟ୍‌ରେ ୤ କ’ଣ କହୁଛି ?
ସୁବ୍ରତ କହିଲା, କିମ୍ବା ବାହାରକୁ କୁଆଡ଼େ ବୁଲି ଯାଇହେବ୤ ଅନୁପମା କହିଲା, ଦେଖିବା୤
୥ ୩ ୥
ସୁବ୍ରତ ଫ୍ଲାଟ୍‌ରେ ଦୁହେଁ ରାତି କଟେଇବାର ଚାରିମାସ ହୋଇଯାଇଥିଲା୤ ଏହି ଚାରିମାସ ଭିତରେ ସବୁ ଛୁଟିଦିନ ସେମାନେ ସାଙ୍ଗହୋଇ କଟେଇଛନ୍ତି୤ ସୁବ୍ରତର ଫ୍ଲାଟ୍‌ରେ କିମ୍ବା ଅନୁପମାର ଫ୍ଲାଟ୍‌ରେ ସାଙ୍ଗହୋଇ ରୋଷେଇ କରିଛନ୍ତି୤ ତିନିଥର ବାହାରକୁ ବୁଲିଯାଇଛନ୍ତି ଏବଂ ରେସ୍ତୋରାଁରେ ଖାଇଛନ୍ତି୤ ଛୁଟିଦିନ ନ ଥିଲେ ବି କେତେଥର ଅଫିସ୍‌ରୁ ଫେରିଲା ପରେ ଜଣଙ୍କ ଘରେ ବସି ଚା’ ପିଇଛନ୍ତି ଏବଂ ରାତ୍ରିଭୋଜନ ମଧ୍ୟ ରାନ୍ଧିଛନ୍ତି୤ ଅବଶ୍ୟ ରାତ୍ରିଭୋଜନ ପରେ ନିଜ ନିଜର ଫ୍ଲାଟ୍‌ରେ ଶୋଇଛନ୍ତି୤
ଭଲ ସାଦା ଖାଦ୍ୟ ଖାଇବାକୁ ଦୁହେଁ ଯାଇଥିଲେ ’ହରେକୃଷ୍ଣ ରେସ୍ତୋରାଁ’୤ ସେହି ରେସ୍ତୋରାଁ ପାଖରେ ରାସ୍ତାକଡ଼ରେ ଗୋଟିଏ ଲୋକ ପୁରୁଣା ବହି ବିକ୍ରୀ କରୁଥିଲା୤ ସେଠି ଅଟକିଗଲା ସୁବ୍ରତ ଏବଂ ବହି ଦେଖିବାରେ ଲାଗିଲା୤ ବେଶ୍‌ କିଛି ସମୟ କଟିଗଲା ପରେ ତା’ର ମନେପଡ଼ିଲା ତା’ ସାଙ୍ଗରେ ଅନୁପମା ଅଛି୤ ଅନୁପମା କିଛି ଦୂରରେ ଗୋଟିଏ ଗଛମୂଳେ ଛିଡ଼ାହୋଇ ତାକୁ ଅପେକ୍ଷା କରିଥିଲା୤ ସେ ତା’ ପାଖକୁ ଚାଲିଆସି କହିଲା, ସରି୤
ଦୁହେଁ ରେସ୍ତୋରାଁକୁ ଆସିଲେ ଏବଂ ଗୋଟିଏ ଟେବୁଲ ପାଖରେ ବସି ଖାଦ୍ୟ ବରାଦ କଲେ୤ ଅନୁପମା ପଚାରିଲା, ତୁମକୁ କ’ଣ ପୁରୁଣା ବହି ଦେଖିବାକୁ ଭଲ ଲାଗେ ?
ସୁବ୍ରତ କହିଲା, ବହି ପଢ଼ିବା ମୋର ଅଭ୍ୟାସ୤ ଚାକିରି କଲା ପୂର୍ବରୁ ମୁଁ ପୁରୁଣା ବହି ବିକ୍ରୀ ହେଉଥିବା ଦୋକାନରୁ କିଣୁଥିଲି୤ କାରଣ ମୁଁ ଏତେ ବହି କିଣୁଥିଲି ଯେ, ନୂଆ ବହି କିଣିବାକୁ ମୋ ପାଖରେ ଟଙ୍କା ନ ଥିଲା୤ ଏବେ ମଧ୍ୟ ପୁରୁଣା ବହି ବିକ୍ରୀ ହେଉଥିବା ଦୋକାନ ଦେଖିଲେ ମୁଁ ଅଟକିଯାଏ୤ କାରଣ, ଅନେକ ମୂଲ୍ୟବାନ ପୁସ୍ତକ ଅଛି ଯାହା ବଜାରରେ ମିଳେ ନାହିଁ, ହୁଏତ ଛାପା ହେଉ ନାହିଁ୤ ପୁରୁଣା ବହି ଦୋକାନରେ ସେହିସବୁ ପୁସ୍ତକର ପୁରୁଣା ସଂସ୍କରଣ ମିଳିଯାଇପାରେ୤
ସୁବ୍ରତ କହିସାରି ପଚାରିଲା, ତୁମେ କ’ଣ ବହିକୁ ଘୃଣା କର ?
କାହିଁକି ଘୃଣା କରିବି ? ବହିକୁ ପୁଣି ଘୃଣା ? ସୁବ୍ରତର ଏପରି ଏକ ପ୍ରଶ୍ନରେ ଆଶ୍ଚର୍ଯ୍ୟ ହେଉଥିଲା ଅନୁପମା, ସେ ଓଲଟା ପ୍ରଶ୍ନ କଲା୤
ସୁବ୍ରତର ବିବାହ ନବମ ଦିନ୤ ସୁବ୍ରତ ଅଫିସ୍‌ରୁ ଫେରି ଦେଖିଲା, ତା’ ରୁମ୍‌ରେ ଥିବା ବହି ନାହିଁ୤ ବହିଥାକ ସବୁ ସଫା, ବହିଥାକରେ ଅଛି ବିଭିନ୍ନ ପ୍ରସାଧନ ସାମଗ୍ରୀ୤ ଆଠ ଦଶ ପ୍ରକାରର ନେଲ୍‌ପଲିସ୍‌, ଲିପ୍‌ଷ୍ଟିକ୍‌ ଇତ୍ୟାଦି୤ ସେ ତନୁଜାକୁ ପଚାରିଲା, ମୋ ବହି ?
ତନୁଜା କହିଲା, ବହିସବୁ ମୁଁ ବସ୍ତାରେ ବାନ୍ଧି ଷ୍ଟୋର୍‌ରୁମ୍‌ରେ ପକେଇ ଦେଇଛି୤
ଷ୍ଟୋର ରୁମ୍‌ରେ ବସ୍ତା ଭିତରେ ବହି ! ସୁବ୍ରତ ଆଶ୍ଚର୍ଯ୍ୟ ହେଲା୤
ଏ ଘରେ ବହି ରହିବ ନାହିଁ୤ ତନୁଜା କହିଲା୤
ତେବେ କ’ଣ ରହିବ ? ସୁବ୍ରତ ପଚାରିଲା୤
ମୋର କସ୍‌ମେଟିକ୍ସ, ଜୋତା-ତନୁଜା କହିଲା୤
ସୁବ୍ରତ ଦେଖୁଥିଲା ବହିଥାକର ତଳ ଦୁଇଥାକ ଜୋତା ଭର୍ତ୍ତି, କିନ୍ତୁ ସଚେତନ ନ ଥିଲା୤ ଏବେ ଜୋତା ଆଡ଼କୁ ଚାହିଁଲା, ପନ୍ଦରରୁ କୋଡ଼ିଏ ହଳ ହେବ୤ ତା’ ମୁଣ୍ଡ କାମ କରୁ ନ ଥିଲା, ସେ ଗଣିପାରିଲା ନାହିଁ୤
ସୁବ୍ରତ ପଚାରିଲା, ମୁଁ ତେବେ ପଢ଼ିବି କେମିତି ?
ପଢ଼ିବା କ’ଣ ଦରକାର ? ପାଠ ପଢ଼ିଥିଲ, ଚାକିରୀ କଲ୤ ଏବ ପୁଣି ପଢ଼ିବା କ’ଣ ଦରକାର ? ତନୁଜା ଓଲଟା ପ୍ରଶ୍ନ କଲା୤
ତୁମେ କ’ଣ କରିବ ? ମାନେ, ତୁମକୁ କ’ଣ କରିବାକୁ ଭଲ ଲାଗେ ? ପ୍ରଶ୍ନ କଲା ସୁବ୍ରତ୤
ମୁଁ ତୁମର ସ୍ତ୍ରୀ, ତୁମର ସ୍ତ୍ରୀ ହୋଇ ରହିବି୤ ମତେ କିଣାକିଣି କରିବାକୁ ଭଲ ଲାଗେ, ବଜାରରେ ବୁଲିବାକୁ, ବିଭିନ୍ନ ସାମଗ୍ରୀ ଦେଖିବାକୁ ଭଲ ଲାଗେ, ବୁଲି ବୁଲି ହୋଟେଲରେ ଖାଇବାକୁ ଭଲ ଲାଗେ୤ ତନୁଜା କହିଲା୤
ସୁବ୍ରତ ଚାହିଁଲା ତନୁଜାର ପ୍ରସାଧନ ସାମଗ୍ରୀ ଓ ଜୋତାଆଡ଼କୁ୤ ମନେ ମନେ କଳନା କଲା, ତନୁଜାର ପ୍ରସାଧନ ସାମଗ୍ରୀ ଓ ଜୋତା କିଣାକୁ ହୁଏତ ତା’ର ଦରମା ନିଅଣ୍ଟ ହେବ, ପୁଣି ତା‘ର କିଣାକିଣି କରିବା, ବୁଲାବୁଲି କରିବା, ହୋଟେଲରେ ଖାଇବାରେ ସଉକ !
ଅନୁପମା ପୁରୁଣା ବହିଗଦା ପାଖରେ ସୁବ୍ରତ ପାଖରେ ଛିଡ଼ା ନ ହୋଇ କିଛି ଦୂରରେ ଗୋଟିଏ ଗଛମୂଳେ ଛିଡ଼ାହୋଇଥିବା ଦେଖି ସେ ବୋଧହୁଏ ଭାବିଲା ତା’ର ବହି ପ୍ରତି ଘୃଣା ଥିବ୤ ସେ କହିଲା, ବହିକୁ କେବେ କୌଣସି ଶିକ୍ଷିତ ବ୍ୟକ୍ତି କ’ଣ ଘୃଣା କରିପାରିବ ? ମୋର ବାପା ପୁସ୍ତକପ୍ରିୟ୤ ନୂଆ ବହିଟିଏ ଦେଖିଲେ ସେ ବହୁତ ଖୁସି ହୋଇଯାଆନ୍ତି୤ ମତେ ମଧ୍ୟ ଭଲ ଲାଗେ୤ ବାପାଙ୍କ ବହିପତ୍ର ମୁଁ ସଜାଡ଼ି ରଖେ, ମଝିରେ ମଝିରେ ଝଡ଼ାଝଡ଼ି କରେ୤ ମୁଁ ଅବଶ୍ୟ ମୋର ପାଠ୍ୟପୁସ୍ତକ ପଢ଼େ, କେତେବେଳେ କେମିତି ଉପନ୍ୟାସ କିମ୍ବା ଗପବହି ପଢ଼େ୤ କିନ୍ତୁ ତୁମ ପରି କିମ୍ବା ମୋ ବାପାଙ୍କ ପରି ନିଜକୁ ପୁସ୍ତକ ପ୍ରେମୀ ବୋଲି ଦାବି କରିପାରିବି ନାହିଁ୤
ହୋଟେଲ ବୟ ଦୁହିଁଙ୍କୁ ସୁପ୍‌ ଦେଇଗଲା୤ ସୁପ୍‌ ଚାମଚେ ପାଟିକୁ ନେଇ ସୁବ୍ରତ ପଚାରିଲା, ତୁମେ ବିବାହ କାହିଁକି କରୁନ ?
ଅନୁପମା କହିଲା, ମୁଁ ବିବାହ କରିବି ନାହିଁ ବୋଲି ସ୍ଥିର କରିଛି୤ କାରଣ, ମୁଁ ଅଳସୁଆ୤ ନିଜପାଇଁ ରୋଷେଇ କରିବାକୁ ମତେ କଷ୍ଟ ଲାଗେ୤ ଆଉ ଜଣକୁ ରୋଷେଇ କରିଦେବା ମୋ ପାଇଁ ଅସମ୍ଭବ୤ ଦ୍ବିତୀୟରେ ମୁଁ ବହୁତ ରାଗୀ ଓ ଚିଡ଼ିଚିଡ଼ା ସ୍ବଭାବର୤ ମୁଁ ଯାହା ଚାହେଁ ତାହା କରିବାକୁ ଚେଷ୍ଟାକରେ୤ କେହି ମୋ କାମରେ ହସ୍ତକ୍ଷେପ କଲେ କିମ୍ବା ଅନୁକୂଳ ମନ୍ତବ୍ୟ ନ ଦେଲେ ମୁଁ ଚିଡ଼ିଯାଏ୤ ସ୍ବାମୀ ସହିତ ସଂସାର କରିବା ସହଜ କାମ ନୁହେଁ, ଅନ୍ତତଃ ମୋ ପାଇଁ୤
ସୁବ୍ରତ କହିଲା, ତୁମେ ଠିକ୍‌ କହୁନ୤ ତୁମେ ଅଳସୁଆ ନୁହଁ୤ ଅଳସୁଆ ହୋଇଥିଲେ ତୁମର ଏତେ ଭଲ କ୍ୟାରିୟର୍‌ ନ ଥାନ୍ତା୤ ଅଫିସ କାର୍ଯ୍ୟ ବି ସୁଚାରୁରୂପେ ସମ୍ପାଦନ କରୁଛ୤ ଭଲ ରୋଷେଇ ବି କରୁଛ୤ ଏହି କେତେଦିନ ହେଲା ଆମେ ଆମିଷ, ନିରାମିଷ ବ୍ୟଞ୍ଜନ କରିଛେ….
ଆମେ କରିଛେ, ମୁଁ ଏକା କରିନି୤ କହିଲା ଅନୁପମା୤
ଅବଶ୍ୟ୤ କିନ୍ତୁ ତୁମେ ଅଳସୁଆ ନୁହଁ୤ ଏହି କେତେଦିନ ହେଲା ତୁମେ ଥରୁଟିଏ ବି ରାଗିନ କିମ୍ବା ଚିଡ଼ିନ୤ ମେନ ମନେ ଯଦି ରାଗିଥାଅ କିମ୍ବା ଚିଡ଼ିଥାଅ ପ୍ରକାଶ କରିନ, ଚିଡ଼ିଚିଡ଼ା ସ୍ବଭାବ ହୋଇଥିଲେ ଏତେଦିନ ଭିତରେ ଥରୁଟିଏ ଅନ୍ତତଃ ତୁମେ ରାଗିଥାଆନ୍ତ୤ ସୁବ୍ରତ କହିଲା୤
ଦୁହେଁ ସୁପ୍‌ ଖାଇସାରିଥିଲେ୤ ହୋଟେଲ ବୟ ସୁପ୍‌ ବାଉଲ ନେଇଗଲା ଏବଂ ଖାଦ୍ୟ ପରଶି ଦେଇଗଲା୤
ଅନୁପମା କହିଲା, ମତେ ଏବେ ଘରଲୋକେ ଦେଖିଲେ ବିଶ୍ବାସ କରି ପାରିବେନି୤ ପ୍ରକୃତରେ ମୁଁ ବହୁତ ରାଗୀ ଓ ଚିଡ଼ିଚିଡ଼ା ସ୍ବଭାବର ଥିଲି୤ ମୋର ଅଲକ୍ଷ୍ୟରେ ମୋର ବହୁତ ପରିବର୍ତ୍ତନ ହୋଇଯାଇଛି୤
ହରେକୃଷ୍ଣ ରେସ୍ତୋରାଁରେ ଖାଦ୍ୟ ସୁସ୍ବାଦୁ ହୋଇଥିଲା୤ ଦୁହେଁ ଖାଦ୍ୟ ଉପଭୋଗ କରି ଖାଉଥିଲେ୤ ଅନୁପମା କିଛି ସମୟ ଗମ୍ଭୀର ଚିନ୍ତାକରି କହିଲା, ମୁଁ କାହା ପ୍ରେମରେ ପଡ଼ି ନ ଥିଲି, ମୋ ଭିତରେ ଭଲପାଇବା ନ ଥିଲା୤ ମୁଁ ମୋର ପାଠ୍ୟପୁସ୍ତକ, ଡିଗ୍ରୀ ଓ କ୍ୟାରିୟର୍‌ ଭିତରେ ରହିଯାଇଥିଲି, କିନ୍ତୁ ଏବେ ମୋ ହୃଦୟରେ ଭଲପାଇବା ଆସିଯାଇଛି୤ ଏବେ ଜଣକର ପ୍ରେମରେ ପଡ଼ିଯାଇଛି୤ ବୋଧହୁଏ ତାହା ହିଁ ଏ ପରିବର୍ତ୍ତନର ଲକ୍ଷଣ୤ କିନ୍ତୁ ମୁଁ ବିବାହ ବନ୍ଧନରେ ବାନ୍ଧିହୋଇ ରହି ପାରିବିନି, ବନ୍ଧନକୁ ମୋର ପ୍ରବଳ ଭୟ୤ ତା’ର କାରଣ ମୁଁ କହିପାରିବି ନାହିଁ୤
ସୁବ୍ରତ ପଚାରିଲା ନାହିଁ, କାହା ପ୍ରେମରେ ସେ ପଡ଼ିଯାଇଛି, କାହାପ୍ରତି ତା’ର ଭଲପାଇବା୤
ସେମାନେ ଖାଇସାରିଥିଲେ୤ ଆଇସ୍‌କ୍ରିମ୍‌ ବରାଦ କରିଥିଲେ୤ ଅନୁପମା ପଚାରିଲା, ତୁମେ କାହିଁକି ବିବାହ କରୁନ ?
ସୁବ୍ରତ କହିଲା, ମୁଁ ବିବାହ କରିଛି୤
ଅନୁପମା ବିଶ୍ବାସ କରିପାରୁ ନ ଥିଲା୤ ସୁବ୍ରତ ପାଖରେ ବିବାହର ଚିହ୍ନବର୍ଣ୍ଣ ସେ ଦେଖୁ ନ ଥିଲା୤ ପଚାରିଲା, ତୁମେ ବିବାହ କେବେ କଲ ? ତୁମର ସ୍ତ୍ରୀ ?
ସୁବ୍ରତ କହିଲା, ମୁଁ ବିବାହ କରିଥିଲି୤ ସେ ଝିଅର ନାମ ତନୁଜା୤ ବିବାହର ପଞ୍ଚମ ଦିନରେ ଆମର ପ୍ରଥମ ଝଗଡ଼ା ହେଲା, ନବମ ଦିନରେ ଝଗଡ଼ା ଘନୀଭୂତ ହେଲା, ପନ୍ଦର ଦିନରେ ଆମ ଘର ଛାଡ଼ି ସେ ତା’ ବାପଘରକୁ ଚାଲିଗଲା୤ ମାସକ ଭିତରେ ସେ ମୋ ନାମରେ ତାକୁ ଅତ୍ୟାଚାର କରୁଛି, ନିର୍ଯ୍ୟାତନା ଦେଉଛି ବୋଲି ଅଭିଯୋଗ କଲା୤ ତିନିମାସ ଭିତରେ ସବୁ ଫଇସଲା ହୋଇଗଲା୤ ଆମକୁ ଡିଭୋର୍ସ ମିଳିଗଲା୤ ଅବଶ୍ୟ ମତେ ଏକ ମୋଟାଅଙ୍କର ଅର୍ଥ ଦେବାକୁ ହେଲା୤ ସେଥିପାଇଁ ମତେ ମୋର କମ୍ପାନୀ ଛାଡ଼ିବାକୁ ହେଲା୤ ମୁଁ ଏହି କମ୍ପାନୀରେ ଯୋଗଦେଲି ଏବଂ ଏହି ସହରକୁ ଆସିଲି୤
ଦୁହେଁ ନୀରବରେ ଆଇସ୍‌କ୍ରିମ ଖାଉଥିଲେ୤ ଅନୁପମା ବିବାହ ବିଚ୍ଛେଦର କାରଣ ପଚାରୁ ନ ଥିଲା୤ ସେ କହିଲା, ତୁମେ ସମଲିଙ୍ଗୀ ପୁରୁଷ କିମ୍ବା ନପୁଂସକ ନୁହଁ ତ ?
ସୁବ୍ରତ ବିଲ୍‌ ପେମେଣ୍ଟ କରିସାରି କହିଲା, ମୁଁ ସମଲିଙ୍ଗୀ ପୁରୁଷ ହୋଇଥିଲେ ଏତେଦିନର ମିଳାମିଶା ଭିତରେ ବୋଧହୁଏ ତୁମପରି ଜଣେ ବୁଦ୍ଧିମତୀ ଝିଅ ଜାଣିପାରିଥାନ୍ତା୤ ନପୁଂସକ କି ନୁହେଁ ତୁମେ ଚାହିଁଲେ ପରୀକ୍ଷା ନେଇପାରିବ୤
୥ ୪ ୥
ପାଞ୍ଚବର୍ଷ ହେଲା ଦୁହେଁ ଗୋଟିଏ ଫ୍ଲାଟରେ ରହୁଛନ୍ତି୤ ମୁଖ୍ୟତଃ ସେମାନଙ୍କର ତିନୋଟି ସର୍ତ୍ତ :
୧. କମ୍ପାନୀ ଦୁଇଜଣଙ୍କ ପାଇଁ ଦୁଇଟି ଫ୍ଲାଟ୍‌ର ଭଡ଼ା ଦେଉଛି୤ ଯେହେତୁ ଦୁହେଁ ଗୋଟିଏ ଫ୍ଲାଟ୍‌ରେ ରହୁଛନ୍ତି, ଅନ୍ୟ ଫ୍ଲାଟ୍‌ ବାବଦକୁ ମିଳୁଥିବା ଭଡ଼ା ଦୁହେଁ ଦୁହିଁଙ୍କପାଇଁ ଖର୍ଚ୍ଚ କରିବେ୤
୨. ସେମାନେ ବିବାହ କରିବେ ନାହିଁ୤
୩. ଯେତେବେଳେ ଜଣେ ଚାହିଁବ ସେମାନେ ଅଲଗା ହୋଇଯିବେ, ଅନ୍ୟ ଜଣେ ପ୍ରତିରୋଧ କରିବ ନାହିଁ କିମ୍ବା କୌଣସି ପ୍ରକାର ପ୍ରତିବନ୍ଧକ ହେବ ନାହିଁ୤
ଏହି ତିନୋଟି ସର୍ତ୍ତ ଥିଲା ଅଲିଖିତ୤ ସୁବ୍ରତ ସିଗାରେଟ, ଗଞ୍ଜେଇମିଶା ସିଗାରେଟ୍‌ ଟାଣିବା ଛାଡ଼ିଦେଇଛି୤ କାରଣ, ଅନୁପମା ସିଗାରେଟ୍‌ ଗନ୍ଧ ସହି ପାରେନି୤ ମଦ୍ୟପାନ ବି କମେଇ ଦେଇଛି୤ ଅନୁପମା ରଗାରଗି କରିବା, ଚିଡ଼ିବା ସୁବ୍ରତ ପ୍ରତ୍ୟକ୍ଷ କରୁ ନାହିଁ୤ ଦୁହିଁଙ୍କ ଭିତରେ ଯେ ରାଗରୁଷା ହେଉ ନାହିଁ ତାହା ନୁହେଁ, ଦିନେ ଦିନେ ହୋଇଯାଉଛି୤ ତୃତୀୟ ସର୍ତ୍ତ ଅନୁସାରେ କାଳେ ଅନ୍ୟଜଣେ ଅଲଗା ହୋଇଯିବାକୁ ଚାହିଁବ, ରାଗରୁଷା ବେଶୀ ଦୂରକୁ ଯାଉ ନାହିଁ୤ ସେଥିପାଇଁ ଦୁହେଁ ସତର୍କ ରହୁଛନ୍ତି୤

No comments:

Post a Comment